ଭୁବନେଶ୍ୱର : ଆଜି ରାଜ୍ୟର ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ। ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ବାସ କହିଛନ୍ତି, ରାଜ୍ୟରେ ଏବେ ଲଗାତାର ମୌସୁମୀ ଦୁର୍ବଳ ହେଉଛି। ଆଗକୁ ମଧ୍ୟ କିଛି ଦିନ ପର୍ଯ୍ୟନ୍ତ କୌଣସି ନୂଆ ସିଷ୍ଟମ ବିକାଶ କରିବାର ସମ୍ଭାବନା ନଥିବାରୁ ଏଭଳି ସ୍ଥିତି ଲାଗି ରହିବ। ଜୁନ୍ ୧ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଭାବେ ୫୧୧.୬ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ୪୫୮.୪ ମିମି ରେକର୍ଡ କରାଯାଇଛି। ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ନୂଆପଡ଼ାରେ ସର୍ବାଧିକ ଓ ଅତିରିକ୍ତ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଏଥିମଧ୍ୟରୁ ପୁରୀ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ୫ଟି ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ୩ ଜିଲ୍ଲା ଯଥା, ମୟୂରଭଞ୍ଜ, କେନ୍ଦୁଝର ଓ ସୋନ୍ପୁର ବି ନିଅଣ୍ଟିଆ ବର୍ଷା ଜିଲ୍ଲାରେ ସାମିଲ ହୋଇଛି। ଅପରପକ୍ଷେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ରାୟଗଡ଼ାରେ ସର୍ବାଧିକ ବର୍ଷା ୪୩.୦ ମିମି ରେକର୍ଡ କରାଯାଇଥିଲା। ରାଜ୍ୟର ଅଧିକାଂଶ ସ୍ଥାନ ଶୁଖିଲା ଓ ଖରାଟିଆ ରହିଥିଲା।
ଆଜି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା
Share Now: